Showing posts with label ଅଣୁ ଗଳ୍ପ. Show all posts
Showing posts with label ଅଣୁ ଗଳ୍ପ. Show all posts

Friday, 27 July 2018

ମୌସୁମୀର ତିନୋଟି ସ୍କେଚ

*ଜୀବନ /ପ୍ରେମ*


*ଜୀବନ* 

 *ସ୍କେଚ ୧* 

 ବର୍ଷିଲା ମୌସୁମୀ। ସତେ ଯେମିତି ଯୁଗ ଯୁଗର ସନ୍ତାପକୁ ହଜେଇ ଦେଲା ଭିଜେଇ ଦେଲା।କେତେ ଦିନର ପ୍ରତୀକ୍ଷିତ ମୁହୂର୍ତ୍ତରେ ଆମେ ବାହାରିଲୁ କାର ଧରି।ବର୍ଷାରେ ବର୍ଷାର ପ୍ରେମ ବେଶୀ ବିମୋହିତ କରେ।ବର୍ଷା ସହ ମୌସୁମୀର ମଜା ଖୁବ ନିଆରା। ମୁଁ ଏ ମୁହୁର୍ତ୍ତକୁ ଅତି ବ୍ୟାକୁଳ ଭାବେ ପ୍ରତୀକ୍ଷା କରେ ବାହାଘରର ପନ୍ଦର ବର୍ଷ ପରେ ବି । କେବଳ ଏଇ ମୌସୁମୀରେ ଭିଜିବା ପାଇଁ ଅଡ଼ି କାର ଟା କିଣିଥିଲି ବଡ଼ ସଉକରେ। 

 *ସ୍କେଚ ୨* 

 ଓଃ ଏ କଟକ ସହରର ପ୍ରସିଦ୍ଧ ରାସ୍ତା ।ଦି ଅସରା ମେଘରେ ମହାନଦୀ ଆଉ ରାସ୍ତା ଏକାକାର। ଆଉ ତହୁଁ ବେଶୀ ଦୁରାଵସ୍ଥା ଅଟୋ କି ରିକ୍ସା ମିଳିବାରେ। କାହାରି ଦେଖା ନାହିଁ ଜମା।ଆଜି ହିଁ ସବୁ ହେବାର ଥିଲା। ମା ବାଟ ଚାହିଁ ବସିଥିବ କେଜାଣି କେମିତି ଯିବି ଆଜି ? ଡେରିରେ ସେ ବସ୍ତି ବାଟ ଦେଇ ଫେରିବା ଠାରୁ ବେଶୀ ଵୋକମି ଆଉ କିଛି ନାହିଁ। ବ୍ୟାଙ୍କରୁ ଋଣ ନେଇ ସ୍କୁଟିଟେ କିଣିବାକୁ ହେବ ଏଥର।  

*ସ୍କେଚ ୩* 

 ଓଃ ଏ ବର୍ଷା ।ସେଥିରେ ପୁଣି ଏ ଜରି ଘର। କେଜାଣି କେତେବେଳେ ପାଣି ମାଡ଼ରେ ଗଳି ପଡିବ। ଏ ସନିଆ ବାପା ତୋର ତ ନିଶା ଭାଙ୍ଗୁନି। ଏଣେ ଘର ସାରା ପାଣି ।ଛୁଆ ଟା କୁ ଧରି ମୁଁ ମାଇପି ଲୋକ କୁଆଡେ ଯିବି କେଜାଣି ।ଏ ରଇଜଳା ମେଘ ଦାନା ବି ମାରୁଛି ଘର ବି ବୁଡ଼ଉଛି। 

 *ପ୍ରେମ* 

 *ସ୍କେଚ୍ ୧* 

 ପାଞ୍ଚ ଦିନ ଲଗାଣ ବର୍ଷା । ଗାଁ ଦାଣ୍ଡରେ ଗୋଳିଆ ପାଣି ଓ ସଫେଦ ଡ଼ଙ୍ଗାର ଆସର। ସେ ଦୁଇ ଜଣ କିନ୍ତୁ ନିଆରା ଟିକିଏ କେନ୍ଦୁ ଅଠାରେ ଯୋଡି ହୋଇଯାଇଥିଲା ଦୁଇଟି ଡଙ୍ଗା ଓ ନିରୀହ ପିଲାମନ । ବାଲ୍ୟ ଚପଳାମି ଓ ଗାଁ ଦାଣ୍ଡରେ ମିଶି ଆସୁଥିବା ମନ ଲଗାଣ ବର୍ଷା ଓ କାଗଜ ଡଙ୍ଗାକୁ ନେଇ ବିଭୋର ଅନୁଭବ। 

 *ସ୍କେଚ୍ ୨* 

 ପାଞ୍ଚଦିନ ଲଗାଣ ବର୍ଷା। ରାଜଧାନୀର କଂକ୍ରିଟ ଜଙ୍ଗଲରେ କୃତ୍ରିମ ବନ୍ୟା ।ବ୍ୟସ୍ତ ବହୁଳ ଜୀବନ ଅଧାଅଧି ଅସମ୍ଭାଳ।ସେ ଦୁଇ ଜଣ କିନ୍ତୁ ନିଆରା। ଗୋଟିଏ ଛତା ଚାରୋଟି ପାଦ ବର୍ଷା ବୁଡ଼ା ଅପରାହ୍ନରେ , କିଶୋର ମନର ନିରୁଦ୍ଧିଷ୍ଟ ପ୍ରେମ ମନ ଛୁଇଁବାକୁ ଅଳପ ବାକି।ପ୍ରେମର ଅଠା କାଠିରେ ବନ୍ଧା ପଡି ସାରିଥିଲେ ଦୁଇଟି ଉଡା ମନ , ପହିଲି ସ୍ପର୍ଶ ଓ ଆଖିଏ ସୁନେଲି ଭବିଷ୍ୟତର ସ୍ୱପ୍ନ ନେଇ। 

 *ସ୍କେଚ୍ ୩*

 ଡଙ୍ଗା ନା ଆଉ କିଛି ! ଏ ପାଞ୍ଚଦିନିଆ ବର୍ଷାରେ ଲୁଗା ପଟା କିଛି ଶୁଖୁନି ; ଘର ସାରା ପାଣି ଗଳୁଛି। ଘର ନୁହେଁ ତ ଗୁପ୍ତେଶ୍ଵର ମନ୍ଦିର ଗୁମ୍ଫା ନା ଆଲୁଅ ନା ପବନ କିନ୍ତୁ ପାଣି ଜୋର , ଛାତରୁ କାନ୍ଥରୁ ।ଭଲ ଭଡା ଘରଟେ ବି ନେଇ ପାରୁନି ଲୋକଟା ଲୁଗା ସଫା ମେସିନ କୁଆଡେ ଦେବ। ସେଥିରେ ପୁଣି ମନ ଡଙ୍ଗା ଭସାରେ କି ପ୍ରେମ ମ ! ନା ଆଉ ଡଙ୍ଗା ଥିଲା ନା ଅଠା ଲାଗି ପାରିଲା।ଜୀବନର ଅଭାବୀ ଅବସ୍ଥାରେ।

Pic credit by: satyatiwari / 37 images

Thursday, 5 July 2018

ମୋ ସବୁଜ ଛତା

Author:  ସ୍ତୁତି ରେଖା ମିଶ୍ର

ଏହେ ଛତା ଟା ଉଡ଼ିଗଲା।ଯେତେ ଚେଷ୍ଟା କଲେ ବି ଆଉ ଦୌଡ଼ି ଧରି ପାରିଲିନି।ବସ ଛାଡି ଦେବା ଡରରେ ବସରେ ଚଢିଲି।ଛତା ପଛରେ ଦୌଡ଼ି ଓଦା ହୋଇଯାଇଥିଲି ।ତେଣୁ ମୁଁହ ହାତ ପୋଛିବାର ଲାଗିଲି।କିନ୍ତୁ ବର୍ଷର ଶବ୍ଦ ମତେ ଆନମନା କରୁଥିଲା।ଆଉ ମନେ ପଡୁଥିଲା ସେ ଦିନ ଯେଉଁ ଦିନ ତୁମେ କୋଣାର୍କକୁ ସାକ୍ଷୀ ରଖି କଥା ଦେଇଥିଲ ଯୁଗ ଯୁଗ ଯାଏଁ ମୋ ସାଥିରେ ରହିବ।ଆଉ ତୁମକୁ ସମର୍ଥନ କରିଥିଲା ବର୍ଷା।ମୁଁ ଭିଜିବାକୁ ଲାଗିଥିଲି। କିଛି ତୁମ ପ୍ରେମରେ ଆଉ କିଛି ବର୍ଷାରେ।ଆଉ ମୋ ଦେହ ଖରାପ ହେବା ଡରରେ ତୁମେ କୋଉଠୁ ଯାଇ କିଣି ଆଣିଲ ସେ ସବୁଜ ଛତାଟି।ସତେ ଯେମିତି ଧରିତ୍ରୀ ତା ସବୁଜ ପଣତ ରେ ଘୋଡେଇ ଦେଇଥିଲା ଆମକୁ।
ଆଜି ତୁମର ସେ ଶେଷ ସ୍ମୃତି ବି ହଜିଗଲା।ତୁମେ ତ ଅଧା ବାଟରେ ଚାଲିଗଲ ମୁଁ ବି ତ ବାଟ ଭାଙ୍ଗି ଚାଲିଗଲି ସ୍ଵାର୍ଥପର ଭଳି । ଜୀବନ ଜୀବିକା ଆଉ ଦାୟିତ୍ୱ ଭିତରେ ପ୍ରେମ କାହିଁକି ଉଣା ପଡ଼ିଯାଏ ବୁଝି ପାରେନି ମୁଁ। ଆଜି ସବୁଦିନ ପାଇଁ ଫେରି ଯାଉଛି ଗାଁକୁ ।ଆଉ କେବେ ଏ ସହର କୁ ଫେରିବି କି ନାହିଁ ଜଣେନି।ଫେରିବାର କାରଣ ବି ନାହିଁ। ତୁମେ ତ ନାହଁ ମୁଁ ବି କାହିଁକି ଫେରିବି। ନା ଏବେ ବର୍ଷା ଭଲ ଲାଗେ ନା କୋଣାର୍କ ନିଜର ଲାଗେ।ସେ ସବୁର ଅନୁଭବ ତୁମେ କରେଇଥିଲ ଆଉ ତୁମ ବିନା ସେ ସବୁ ଅର୍ଥ ହୀନ।ହଁ ମନ ଭିତରେ ଶେଷ ଆଶା ନେଇ ଯାଉଛି କାଳେ ଏଇ ବସରେ ବସି କୋଉଦିନ ତୁମେ ଥରେ ଆମ ଗାଁ କୁ ଆସିବ।

Pic Credit:sweetlouise

Wednesday, 13 June 2018

*ଚଣ୍ଡୀ*

Author: ସ୍ତୁତିରେଖା ମିଶ୍ର

pic credit: www.facebook.com


ଆଲୋ ଜାଣିଛୁ ଭାରି ପ୍ରତ୍ୟକ୍ଷ ଦେବୀ ଆମ ଚଣ୍ଡୀମା। ଡାକିଲେ ଓ' କରିବେ। ତୁ ସିନା ସହରରୁ ଆସିଛୁ ବୋଲି ମାନୁନୁ କିନ୍ତୁ ଆମ ଗାଁର କେତେ ଲୋକ ଦେଖିଛନ୍ତି ମା ରାତିରେ ବୁଲନ୍ତି।ଗାଁର ରକ୍ଷା କରନ୍ତି। ଏମିତି କେତେ କଥା କହି କହି ରୁନି ସିନାକୁ ଗାଁ ସାରା ବୁଲେଇ ଆଣିଲା। ସିନା କିନ୍ତୁ ସବୁ ମଜାରେ ଉଡେଇ ଦେଉ ଥାଏ। ଲଣ୍ଡନରେ ବଡ଼ ହେଇଥିବା ଝିଅ ସେ ।ଦିନ ସାରା ବୁଲି ବୁଲି ଶେଷରେ ଖାଇବା ପରେ ଆମ୍ବ ତୋଟାରେ ଶୋଇବାର ମଜା ନେବାକୁ ବାହାରିଲା। ସେଠି ମଞ୍ଚା ବାନ୍ଧି ମାମୁଁ ରାତିରେ ଶୁଅନ୍ତି ।ଆମ୍ବ ଜଗିବାକୁ ଦିନରେ ରୁନି ଶୁଏ।ତାରି ସହ ଚାଲିଗଲା ସିନା।ପନ୍ଦର ବର୍ଷ ପରେ ଏସବୁ ଦେଖୁଚି ଆଉ ଥରେ ଅତି ଛୋଟ ବେଳେ ଦେଖିଥିଲା ଯାହା। ରୁନି କେତେ କଣ କହି ଯାଉଥାଏ।ଗପୁ ଗପୁ ଶୋଇ ପଡିଛନ୍ତି ଦୁହେଁ।

ହଠାତ ରୁନି କିଛି ଶବ୍ଦ ଶୁଣି ଉଠିଲା।ନିଛାଟିଆ ଖରା ବେଳେ କିଏ ପାଟି କରୁଛି। ପୁଣି ଚୁପ ହେଇଗଲା କିଏ ଗୋଟେ ଗଁ ଗଁ ହେଲା ପରି ଲାଗୁଛି । ରୁନି ଠେଙ୍ଗା ଧରି ଉଠିଲା ବୋଧେ ଆମ୍ବ ଚୋର।ସିନା କୁ ଡାକିଲେ ହେଲେ ସେ ଉଠିଲାନି।ତେଣୁ ଏକା ହିଁ ଗଲା ରୁନି ଗାଁ ଝିଅ ସେ ତାକୁ କି ଡର ମାଡି ଚାଲିଲା ସେ। ଚଣ୍ଡି ମନ୍ଦିର ପଟୁ ଆସୁଛି ଶବ୍ଦ।ଯାଇ ଦେଖିଲା କିଛି ମଦୁଆ ମନ୍ଦିର ବାହାରେ ଭିକ ମାଗୁଥିବା ପାଗେଳି ସ୍ତ୍ରୀ ଟାକୁ ବଳାତ୍କାର କରିବାକୁ ଚେଷ୍ଟା କରୁଛନ୍ତି।କେଜାଣି କଣ ହେଲା ରୁନି ଦୌଡ଼ି ଯାଇ ଭିଡି ଆଣିଲା ଚଣ୍ଡୀଙ୍କ କାତି ଟା। 


ସିନା ରୁନି କୁ ନପାଇ ଖୋଜି ଖୋଜି ଯାଇ  ଘରେ ପହଁଚିଲା।ଘରେ ବି ନାହିଁ ରୁନି। ସମସ୍ତେ ଖୋଜି ବୁଲିଲେ ହଠାତ କେହି ଜଣେ ଖବର ଦେଲା ରୁନି ମଣିଷ ମାରିପକେଇଛି ଜଲଦି ଆସ। ଦୌଡି ଯାଇ ଦେଖିଲା ବେଳକୁ ଦୁଇଟା ରକ୍ତାକ୍ତ ଦେହ ଆଉ ଜୋରେ ହସୁଥିଲା ପାଗେଳି।ଆଉ ରୁନି ଜଳନ୍ତା ନିଆଁ ଭଳି ଠିଆ ହେଇଥିଲା ଗୋଟେ କଣରେ। କେହି କିଛି ବୁଝିବା ଆଗରୁ ଆକାଶରୁ ଖସି ପଡ଼ିଲା ଚଣ୍ଡୀଙ୍କ ଉଦ୍ଦେଶ୍ୟରେ ଅମୃତ ଧାରା।





Saturday, 9 June 2018

ଆତ୍ମହତ୍ୟା

Pic by google.com



ବଞ୍ଚିବାର କଷ୍ଟ ମରଣ କୁ ଟପି ସାରିଥିଲା।ସେଦିନ ସେ ସହି ପାରିଲାନି ବୋଧହୁଏ।ହୁଏତ ସେ ବି କାନ୍ଦିଥିବ।ବଞ୍ଚିବାର କାରଣ ଖୋଜିଥିବ।କିନ୍ତୁ ପାଇଥିବ କି ନାଁ କିଏ ଜଣେ? କି ମରିବାର କାରଣ ଟା ବଞ୍ଚିବାର କାରଣ ଅପେକ୍ଷା ତାକୁ ବେଶି ବଡ଼ ଲାଗୁଥିବ।ଦୁନିଆ ତାକୁ ଭୀରୁ କହିଲା। ପରିସ୍ଥିତିକୁ ସାମ୍ନା କରିବାର ସାହସ ନାହିଁ ବୋଲି କହିଲା। କିନ୍ତୁ ସେ ଡରୁଆ ନଥିଲା ।ନିଜକୁ ମାରିବା ସହଜ ନୁହେଁ।ବହୁତ ସାହସ ଦରକାର ନିଜ ନିଶ୍ୱାସ ନିଜେ ବନ୍ଦ କରିବା ପାଇଁ। ହଁ ସେ ନିଜ ସାହାସର ଉଚିତ ବ୍ୟବହାର କରି ପାରିଲା ନାହିଁ ବୋଧେ।


Friday, 8 June 2018

ସୈତାନ୍ ର ଦୁଃଖ

Author: ସ୍ତୁତିରେଖା ମିଶ୍ର

                            **

ପୌରୁଷର ଅଦମ୍ୟ ପ୍ରହେଳିକା କୁ ଚରିତାର୍ଥ କରି ,ତ୍ରସ୍ତ ହରିଣୀର ଚିତ୍କାରକୁ ଉପଭୋଗ କରି, ରାକ୍ଷସର ଶେଷ ସୀମାରେ ବିଚରଣ କରି ଏକ ପାଶବିକ ତୃପ୍ତି ନେଇ ଘରକୁ ଫେରୁଥିଲା ସେ। କିନ୍ତୁ  ଏ କଣ ? ଏ କି ଅଘଟଣ ? ପାଦ ତଳୁ ମାଟି ଖସି ଯାଇଥିଲା ତାର ଅନେକ ତଳକୁ ନିଜ ଏକମାତ୍ର ଅଲିଅଳୀର ସେହି ସମାନ ଅବସ୍ଥା ଦେଖି .।।।

                           **

ଅନ୍ଧାର ଭିତରେ ଘର ମୁଁହା ଦୌଡୁଥିଲା ନିରୀହ ଛାଇଟିଏ। ତାକୁ ପିଛା କରୁଥିଲା ୬ଟି ଲୋଲୁପ ଆଖି , ଉଦ୍ଧତ ପାଦ ଓ ହାତ। ଯେତେ ଚେଷ୍ଟା କଲେ ମଧ୍ୟ୍ୟ ସୁରକ୍ଷା ବଳୟ କୁ ଛୁଇଁ ପାରୁନଥିଲା ଛାଇଟି। କ୍ରମେ ପାଦ ଗୁଡିକ ନିକଟତର ହେଉଥିଲା। ଆରେ ଏ କଣ କିଏ ଜଣେ ଭିଡି ଧରିଲା ଛାଇଟିକୁ କିଏ ଜଣେ ମାଡି ବସିଲା ।ଖୁବ ଜୋରେ କଥା ହେଉଥିଲେ ତିନିଟି ପାଟି ସଫଳତାର ଅସୀମ ଆନନ୍ଦ ରେ ।ଛିନ୍ନ ଭିନ୍ନ କରି ଚାଲିଲେ ଛାଇ ଟିର ଗାରିମା କୁ। ଛାଇ ଟିର ଚିତ୍କାର ସଙ୍ଗୀତର ମୂର୍ଚ୍ଛନା ପରି ଅନନ୍ଦଦାୟୀ ପ୍ରତୀତ ହେଉଥିଲା ୬ଟି କାନ କୁ। ହେଲେ ଗଗନ ସହି ପାରିଲାନି ।ତୀବ୍ର ଗର୍ଜନ ଦେଲା ।ତଡିତ ର ତୀକ୍ଷ୍ଣ ଛିଟା ରେ ଦିଶି ଯାଇଥିଲା ଛାଇଟିର ମୁଂହ ।ତାକୁ ମାଡି ବସିଥିବା ହାତ ଦୁଇଟି ଥର ଥର କମ୍ପି ଉଠିଲା ଆଖି ୨ ଟି ବନ୍ଦ ହୋଇଗଲା ପାଦ ୨ ଟି ଶିଥିଳ ପଡିଗଲା , ରାକ୍ଷୀ ବନ୍ଧା ହାତ ଟି ରକ୍ଷଣ ପରିବର୍ତ୍ତେ ଭକ୍ଷଣ କରିଥିବାର ଅପରାଧ ବୋଧ ରେ।

        

Popular Post