Thursday 5 July 2018

ମୋ ସବୁଜ ଛତା

Author:  ସ୍ତୁତି ରେଖା ମିଶ୍ର

ଏହେ ଛତା ଟା ଉଡ଼ିଗଲା।ଯେତେ ଚେଷ୍ଟା କଲେ ବି ଆଉ ଦୌଡ଼ି ଧରି ପାରିଲିନି।ବସ ଛାଡି ଦେବା ଡରରେ ବସରେ ଚଢିଲି।ଛତା ପଛରେ ଦୌଡ଼ି ଓଦା ହୋଇଯାଇଥିଲି ।ତେଣୁ ମୁଁହ ହାତ ପୋଛିବାର ଲାଗିଲି।କିନ୍ତୁ ବର୍ଷର ଶବ୍ଦ ମତେ ଆନମନା କରୁଥିଲା।ଆଉ ମନେ ପଡୁଥିଲା ସେ ଦିନ ଯେଉଁ ଦିନ ତୁମେ କୋଣାର୍କକୁ ସାକ୍ଷୀ ରଖି କଥା ଦେଇଥିଲ ଯୁଗ ଯୁଗ ଯାଏଁ ମୋ ସାଥିରେ ରହିବ।ଆଉ ତୁମକୁ ସମର୍ଥନ କରିଥିଲା ବର୍ଷା।ମୁଁ ଭିଜିବାକୁ ଲାଗିଥିଲି। କିଛି ତୁମ ପ୍ରେମରେ ଆଉ କିଛି ବର୍ଷାରେ।ଆଉ ମୋ ଦେହ ଖରାପ ହେବା ଡରରେ ତୁମେ କୋଉଠୁ ଯାଇ କିଣି ଆଣିଲ ସେ ସବୁଜ ଛତାଟି।ସତେ ଯେମିତି ଧରିତ୍ରୀ ତା ସବୁଜ ପଣତ ରେ ଘୋଡେଇ ଦେଇଥିଲା ଆମକୁ।
ଆଜି ତୁମର ସେ ଶେଷ ସ୍ମୃତି ବି ହଜିଗଲା।ତୁମେ ତ ଅଧା ବାଟରେ ଚାଲିଗଲ ମୁଁ ବି ତ ବାଟ ଭାଙ୍ଗି ଚାଲିଗଲି ସ୍ଵାର୍ଥପର ଭଳି । ଜୀବନ ଜୀବିକା ଆଉ ଦାୟିତ୍ୱ ଭିତରେ ପ୍ରେମ କାହିଁକି ଉଣା ପଡ଼ିଯାଏ ବୁଝି ପାରେନି ମୁଁ। ଆଜି ସବୁଦିନ ପାଇଁ ଫେରି ଯାଉଛି ଗାଁକୁ ।ଆଉ କେବେ ଏ ସହର କୁ ଫେରିବି କି ନାହିଁ ଜଣେନି।ଫେରିବାର କାରଣ ବି ନାହିଁ। ତୁମେ ତ ନାହଁ ମୁଁ ବି କାହିଁକି ଫେରିବି। ନା ଏବେ ବର୍ଷା ଭଲ ଲାଗେ ନା କୋଣାର୍କ ନିଜର ଲାଗେ।ସେ ସବୁର ଅନୁଭବ ତୁମେ କରେଇଥିଲ ଆଉ ତୁମ ବିନା ସେ ସବୁ ଅର୍ଥ ହୀନ।ହଁ ମନ ଭିତରେ ଶେଷ ଆଶା ନେଇ ଯାଉଛି କାଳେ ଏଇ ବସରେ ବସି କୋଉଦିନ ତୁମେ ଥରେ ଆମ ଗାଁ କୁ ଆସିବ।

Pic Credit:sweetlouise

No comments:

Post a Comment

Add comments here.........