Wednesday 13 June 2018

*ଚଣ୍ଡୀ*

Author: ସ୍ତୁତିରେଖା ମିଶ୍ର

pic credit: www.facebook.com


ଆଲୋ ଜାଣିଛୁ ଭାରି ପ୍ରତ୍ୟକ୍ଷ ଦେବୀ ଆମ ଚଣ୍ଡୀମା। ଡାକିଲେ ଓ' କରିବେ। ତୁ ସିନା ସହରରୁ ଆସିଛୁ ବୋଲି ମାନୁନୁ କିନ୍ତୁ ଆମ ଗାଁର କେତେ ଲୋକ ଦେଖିଛନ୍ତି ମା ରାତିରେ ବୁଲନ୍ତି।ଗାଁର ରକ୍ଷା କରନ୍ତି। ଏମିତି କେତେ କଥା କହି କହି ରୁନି ସିନାକୁ ଗାଁ ସାରା ବୁଲେଇ ଆଣିଲା। ସିନା କିନ୍ତୁ ସବୁ ମଜାରେ ଉଡେଇ ଦେଉ ଥାଏ। ଲଣ୍ଡନରେ ବଡ଼ ହେଇଥିବା ଝିଅ ସେ ।ଦିନ ସାରା ବୁଲି ବୁଲି ଶେଷରେ ଖାଇବା ପରେ ଆମ୍ବ ତୋଟାରେ ଶୋଇବାର ମଜା ନେବାକୁ ବାହାରିଲା। ସେଠି ମଞ୍ଚା ବାନ୍ଧି ମାମୁଁ ରାତିରେ ଶୁଅନ୍ତି ।ଆମ୍ବ ଜଗିବାକୁ ଦିନରେ ରୁନି ଶୁଏ।ତାରି ସହ ଚାଲିଗଲା ସିନା।ପନ୍ଦର ବର୍ଷ ପରେ ଏସବୁ ଦେଖୁଚି ଆଉ ଥରେ ଅତି ଛୋଟ ବେଳେ ଦେଖିଥିଲା ଯାହା। ରୁନି କେତେ କଣ କହି ଯାଉଥାଏ।ଗପୁ ଗପୁ ଶୋଇ ପଡିଛନ୍ତି ଦୁହେଁ।

ହଠାତ ରୁନି କିଛି ଶବ୍ଦ ଶୁଣି ଉଠିଲା।ନିଛାଟିଆ ଖରା ବେଳେ କିଏ ପାଟି କରୁଛି। ପୁଣି ଚୁପ ହେଇଗଲା କିଏ ଗୋଟେ ଗଁ ଗଁ ହେଲା ପରି ଲାଗୁଛି । ରୁନି ଠେଙ୍ଗା ଧରି ଉଠିଲା ବୋଧେ ଆମ୍ବ ଚୋର।ସିନା କୁ ଡାକିଲେ ହେଲେ ସେ ଉଠିଲାନି।ତେଣୁ ଏକା ହିଁ ଗଲା ରୁନି ଗାଁ ଝିଅ ସେ ତାକୁ କି ଡର ମାଡି ଚାଲିଲା ସେ। ଚଣ୍ଡି ମନ୍ଦିର ପଟୁ ଆସୁଛି ଶବ୍ଦ।ଯାଇ ଦେଖିଲା କିଛି ମଦୁଆ ମନ୍ଦିର ବାହାରେ ଭିକ ମାଗୁଥିବା ପାଗେଳି ସ୍ତ୍ରୀ ଟାକୁ ବଳାତ୍କାର କରିବାକୁ ଚେଷ୍ଟା କରୁଛନ୍ତି।କେଜାଣି କଣ ହେଲା ରୁନି ଦୌଡ଼ି ଯାଇ ଭିଡି ଆଣିଲା ଚଣ୍ଡୀଙ୍କ କାତି ଟା। 


ସିନା ରୁନି କୁ ନପାଇ ଖୋଜି ଖୋଜି ଯାଇ  ଘରେ ପହଁଚିଲା।ଘରେ ବି ନାହିଁ ରୁନି। ସମସ୍ତେ ଖୋଜି ବୁଲିଲେ ହଠାତ କେହି ଜଣେ ଖବର ଦେଲା ରୁନି ମଣିଷ ମାରିପକେଇଛି ଜଲଦି ଆସ। ଦୌଡି ଯାଇ ଦେଖିଲା ବେଳକୁ ଦୁଇଟା ରକ୍ତାକ୍ତ ଦେହ ଆଉ ଜୋରେ ହସୁଥିଲା ପାଗେଳି।ଆଉ ରୁନି ଜଳନ୍ତା ନିଆଁ ଭଳି ଠିଆ ହେଇଥିଲା ଗୋଟେ କଣରେ। କେହି କିଛି ବୁଝିବା ଆଗରୁ ଆକାଶରୁ ଖସି ପଡ଼ିଲା ଚଣ୍ଡୀଙ୍କ ଉଦ୍ଦେଶ୍ୟରେ ଅମୃତ ଧାରା।





1 comment:

Add comments here.........