Friday 27 July 2018

ମୌସୁମୀର ତିନୋଟି ସ୍କେଚ

*ଜୀବନ /ପ୍ରେମ*


*ଜୀବନ* 

 *ସ୍କେଚ ୧* 

 ବର୍ଷିଲା ମୌସୁମୀ। ସତେ ଯେମିତି ଯୁଗ ଯୁଗର ସନ୍ତାପକୁ ହଜେଇ ଦେଲା ଭିଜେଇ ଦେଲା।କେତେ ଦିନର ପ୍ରତୀକ୍ଷିତ ମୁହୂର୍ତ୍ତରେ ଆମେ ବାହାରିଲୁ କାର ଧରି।ବର୍ଷାରେ ବର୍ଷାର ପ୍ରେମ ବେଶୀ ବିମୋହିତ କରେ।ବର୍ଷା ସହ ମୌସୁମୀର ମଜା ଖୁବ ନିଆରା। ମୁଁ ଏ ମୁହୁର୍ତ୍ତକୁ ଅତି ବ୍ୟାକୁଳ ଭାବେ ପ୍ରତୀକ୍ଷା କରେ ବାହାଘରର ପନ୍ଦର ବର୍ଷ ପରେ ବି । କେବଳ ଏଇ ମୌସୁମୀରେ ଭିଜିବା ପାଇଁ ଅଡ଼ି କାର ଟା କିଣିଥିଲି ବଡ଼ ସଉକରେ। 

 *ସ୍କେଚ ୨* 

 ଓଃ ଏ କଟକ ସହରର ପ୍ରସିଦ୍ଧ ରାସ୍ତା ।ଦି ଅସରା ମେଘରେ ମହାନଦୀ ଆଉ ରାସ୍ତା ଏକାକାର। ଆଉ ତହୁଁ ବେଶୀ ଦୁରାଵସ୍ଥା ଅଟୋ କି ରିକ୍ସା ମିଳିବାରେ। କାହାରି ଦେଖା ନାହିଁ ଜମା।ଆଜି ହିଁ ସବୁ ହେବାର ଥିଲା। ମା ବାଟ ଚାହିଁ ବସିଥିବ କେଜାଣି କେମିତି ଯିବି ଆଜି ? ଡେରିରେ ସେ ବସ୍ତି ବାଟ ଦେଇ ଫେରିବା ଠାରୁ ବେଶୀ ଵୋକମି ଆଉ କିଛି ନାହିଁ। ବ୍ୟାଙ୍କରୁ ଋଣ ନେଇ ସ୍କୁଟିଟେ କିଣିବାକୁ ହେବ ଏଥର।  

*ସ୍କେଚ ୩* 

 ଓଃ ଏ ବର୍ଷା ।ସେଥିରେ ପୁଣି ଏ ଜରି ଘର। କେଜାଣି କେତେବେଳେ ପାଣି ମାଡ଼ରେ ଗଳି ପଡିବ। ଏ ସନିଆ ବାପା ତୋର ତ ନିଶା ଭାଙ୍ଗୁନି। ଏଣେ ଘର ସାରା ପାଣି ।ଛୁଆ ଟା କୁ ଧରି ମୁଁ ମାଇପି ଲୋକ କୁଆଡେ ଯିବି କେଜାଣି ।ଏ ରଇଜଳା ମେଘ ଦାନା ବି ମାରୁଛି ଘର ବି ବୁଡ଼ଉଛି। 

 *ପ୍ରେମ* 

 *ସ୍କେଚ୍ ୧* 

 ପାଞ୍ଚ ଦିନ ଲଗାଣ ବର୍ଷା । ଗାଁ ଦାଣ୍ଡରେ ଗୋଳିଆ ପାଣି ଓ ସଫେଦ ଡ଼ଙ୍ଗାର ଆସର। ସେ ଦୁଇ ଜଣ କିନ୍ତୁ ନିଆରା ଟିକିଏ କେନ୍ଦୁ ଅଠାରେ ଯୋଡି ହୋଇଯାଇଥିଲା ଦୁଇଟି ଡଙ୍ଗା ଓ ନିରୀହ ପିଲାମନ । ବାଲ୍ୟ ଚପଳାମି ଓ ଗାଁ ଦାଣ୍ଡରେ ମିଶି ଆସୁଥିବା ମନ ଲଗାଣ ବର୍ଷା ଓ କାଗଜ ଡଙ୍ଗାକୁ ନେଇ ବିଭୋର ଅନୁଭବ। 

 *ସ୍କେଚ୍ ୨* 

 ପାଞ୍ଚଦିନ ଲଗାଣ ବର୍ଷା। ରାଜଧାନୀର କଂକ୍ରିଟ ଜଙ୍ଗଲରେ କୃତ୍ରିମ ବନ୍ୟା ।ବ୍ୟସ୍ତ ବହୁଳ ଜୀବନ ଅଧାଅଧି ଅସମ୍ଭାଳ।ସେ ଦୁଇ ଜଣ କିନ୍ତୁ ନିଆରା। ଗୋଟିଏ ଛତା ଚାରୋଟି ପାଦ ବର୍ଷା ବୁଡ଼ା ଅପରାହ୍ନରେ , କିଶୋର ମନର ନିରୁଦ୍ଧିଷ୍ଟ ପ୍ରେମ ମନ ଛୁଇଁବାକୁ ଅଳପ ବାକି।ପ୍ରେମର ଅଠା କାଠିରେ ବନ୍ଧା ପଡି ସାରିଥିଲେ ଦୁଇଟି ଉଡା ମନ , ପହିଲି ସ୍ପର୍ଶ ଓ ଆଖିଏ ସୁନେଲି ଭବିଷ୍ୟତର ସ୍ୱପ୍ନ ନେଇ। 

 *ସ୍କେଚ୍ ୩*

 ଡଙ୍ଗା ନା ଆଉ କିଛି ! ଏ ପାଞ୍ଚଦିନିଆ ବର୍ଷାରେ ଲୁଗା ପଟା କିଛି ଶୁଖୁନି ; ଘର ସାରା ପାଣି ଗଳୁଛି। ଘର ନୁହେଁ ତ ଗୁପ୍ତେଶ୍ଵର ମନ୍ଦିର ଗୁମ୍ଫା ନା ଆଲୁଅ ନା ପବନ କିନ୍ତୁ ପାଣି ଜୋର , ଛାତରୁ କାନ୍ଥରୁ ।ଭଲ ଭଡା ଘରଟେ ବି ନେଇ ପାରୁନି ଲୋକଟା ଲୁଗା ସଫା ମେସିନ କୁଆଡେ ଦେବ। ସେଥିରେ ପୁଣି ମନ ଡଙ୍ଗା ଭସାରେ କି ପ୍ରେମ ମ ! ନା ଆଉ ଡଙ୍ଗା ଥିଲା ନା ଅଠା ଲାଗି ପାରିଲା।ଜୀବନର ଅଭାବୀ ଅବସ୍ଥାରେ।

Pic credit by: satyatiwari / 37 images

No comments:

Post a Comment

Add comments here.........